ରଙ୍ଗ

ରଙ୍ଗ ପାଇଁ
କାଇଁ ଏତେ ଢଙ୍ଗ ହୋ
ରଙ୍ଗ ଅଛିତ ଏଠି ମାଟିରେ , ପବନରେ
ଆକାଶରେ, ସବୁ ଦିନ
ସବୁ ମୁହୁର୍ତ୍ତରେ

ଏଇ ଦେଖ ସେ
ଶୁଖିଲା କାଠରେ
କେମିତି କଅଁଳି ଉଠୁଛି ପତ୍ର
ଦେହ ସାରା ତା, ବୋଳି ହୋଇ
ରଙ୍ଗ ସବୁଜ

ଛୋଟ ଛୋଟ ରଙ୍ଗ ବେରଙ୍ଗ ବିହଙ୍ଗମ
ଡେଇଁ ବୁଲୁଛନ୍ତି ଡାଳୁ ଡାଳ,
ଦେଖ ସୂର୍ଯ୍ୟ ବୁଣିଦେଲାଣି ମୁରୁଜ,
ଗଛ ଫାଙ୍କରେ

ରାସ୍ତା ସବୁ
ଆଜି କାହିଁକି ଖୁସି ଖୁସି ଲାଗୁଛନ୍ତି,
କିଛି ସୁନ୍ଦର ଅନୁଭବରେ ମସଗୁଲ
ଘାସ ଫୁଲ ମାନେ,
କାକର ଠୋପାରେ ଖେଳୁଛି ଇନ୍ଦ୍ରଧନୁ
ସପ୍ତ ରଙ୍ଗରେ ବିଧୌତ ସମୟ

ସବୁ ଦିନର ଘଟଣ, ଅଘଟଣରେ
ସୁଖ ସହ ଫେଣ୍ଟି ହେଇ ଯାଉଥାଏ ଦୁଃଖ
ବହୁ ରଙ୍ଗୀ ଜୀବନର
ରାଗରେ, ଅନୁରାଗରେ
ପ୍ରେମରେ,
ବିରହରେ

ଏଇତ ଭୋ’ର ହେବାର ଦୃଶ୍ୟ,
କିଏ ଛୁଇଁ ଦେଉଛି ମୋ ଦେହକୁ,
ରଙ୍ଗେଇଦେଉଛି ମୋ ହୃଦକନ୍ଦର,
ଗୋଟେ ଅଜଣା ପୁଲକରେ ପବନରେ
ମତୁଆଲା ମୁହୂର୍ତ୍ତ,
ଓହୋ !
ଆଜି ପରା ହୋଲି,
ଗୋଟେ ସ୍ବତନ୍ତ୍ର ସମୟର
ଗୋଟେ ନିଆରା ଅନୁଭବ
ରଙ୍ଗର ।☺
ହୋଲିର ହାର୍ଦ୍ଦିକ ଶୁଭେଚ୍ଛା ⚘❤🙏
©®ବିଷ୍ଣୁ ଚରଣ ପରିଡ଼ା
୨୮ମାର୍ଚ୍ଚ ୨୦୨୧

ରେମାଳ ଡ୍ୟାମ୍ ରେ ଅପରାହ୍ନ


ମତେ ଜଳ ଦେଖିଲେ ଭଲ ଲାଗେ
ଏକାଥରେ ଏତେ ଜଳ,
ରେମାଳର ଜଳ !

ଜଳର ଥର ଥର ଛାତିରେ
ଆକାଶର ଗାଢ ନୀଳ ମୁହଁ,
ଆକାଶର ଗାଢ ନୀଳିମାରେ
ଅସରନ୍ତି ସ୍ବପ୍ନର ଫୁଆର !

ସ୍ବପ୍ନାୟିତ ନୀଳ ତରଙ୍ଗରେ
ମାଳ ମାଳ ପକ୍ଷୀଙ୍କ କାକଳି ,
ପ୍ରତିଧ୍ନତ ପକ୍ଷୀ କାକଳିରେ
ରଞ୍ଜିତ ସୁଦୂର ଦିଗନ୍ତ ,
ଦିଗନ୍ତର ଧାରେ ଧାରେ
ପାହାଡର ସ୍ବର !

ମାଦକୀୟ ପାହାଡ ସ୍ବରରେ
ସମୟର ଗୁପ୍ତ ନିମନ୍ତ୍ରଣ
ନିମନ୍ତ୍ରିତ କବିତା ଛନ୍ଦରେ
ମୋହାବିଷ୍ଟ ମୁହୂର୍ତ୍ତ କବିର !
©®ବିଷ୍ଣୁ ଚରଣ ପରିଡା ।
ଯାଜପୁରରୋଡ ।ସନ୍ଧ୍ୟା ୭.୪୫।
Self clicked photo
Remal dam , Bamnipal, Odisha

ରାସ୍ତା

ଗୋଟେ ରାସ୍ତା
ଆମ ଘର ପାଖରୁ
ସାଇ ଭିତରେ ଅଙ୍କା ବଙ୍କା ହେଇ
ଗାଈ ଗୋଠ, ଛେଳି ଗୋଠ ଧରି
ସକାଳୁ ସକାଳୁ ବାହାରି ଯାଏ।

ଆଉ ଗୋଟେ ରାସ୍ତା
ମତେ ବାଇକ୍ ରେ ଧରି
ଭିଡ ରେ ଛାତି ଫଟେଇ
କେଁ କାଁ ଭେଁ ଭାଁ ଭିତରେ
ବାହାରି ଯାଏ ଶିଳ୍ପାଞ୍ଚଳ କୁ।

ଜାଣୁ ଜାଣୁ ବାଁ ପଟେ କାଟି
ଗତି କରିଯାଏ ତରୁଣଟିଏ
ମୋବାଇଲ କାନ୍ଧରେ ଜାକି ,
ରସିକ ଜଣେ ପାନ କିମ୍ବା ଗୁଟଖା
ଚୋବଉ ଚୋବଉ ଥୁକ୍ କରିଦିଅନ୍ତି
ଡାହାଣ କୁ।

ଲୋକାଲ୍ ଦାଦା ଜଣେ
ଫଟାସ୍ କିନା ଆଗରେ ବୁଲାଇ..
କାଟିଦିଅନ୍ତି ସାମ୍ନାରେ।

ସବୁ ଦେଖି ରାସ୍ତା ଚୁପ୍ ଥାଏ
ଚୁପ୍ ନରହି କଣ ବା କରି ପାରେ ସେ
ତା’ ଜୀବନ ର ସାର୍ଥକତା ଖାଲି
ନିରବ ରେ ଲମ୍ବି ଯିବା ସିନା।…..😎..କ୍ରମଶଃ …

(C) Bishnu Charan Parida..
Photo clicked by self..

କବିତା ନୁହେଁ କଥା ପଦେ

କବିତା ନୁହେଁ କଥା ପଦେ

ଯିଏ ଯେମିତି ଆସିବା କଥା ଆସୁନା
ଆମର କାହାକୁ ଡାକିବା କଣ ଦର୍କାର ଯେ
ଜନ୍ମ ତ ଡାକି ଆଣିଛି ଆମକୁ
ଆଉ ଏ ଘଟଣା ସବୁକୁ
ଆହୂତ ଅନାହୂତ
ଘଟିଚାଲିଛି
ରାସ୍ତାପରି ଆମେ ଦ୍ରଷ୍ଟା କେବଳ ,
ସ୍ରଷ୍ଟା ନୁହେଁ।

ଯେତିକି ଆଲୋକ ଦେବାକଥା
ସୂର୍ଯ୍ୟ ଦେଇଛି ଆମକୁ
ଯେତିକି ଅନ୍ଧାର ଆସିବା କଥା
ରାତି ଆଣିଛି ଆମ ପାଇଁ।

ଆମେ ଖାଲି ମିଛରେ
ଧନ୍ଦିହେଉଛନ୍ତି ଯାହା
ମୁଁ ଆଉ ମୋର ବୋଲି କହି
ସୁଖରେ ଖୁସି ହେଇ
ଦୁଃଖ ରେ ହେଇ ମ୍ରିୟମାଣ!

ଯାହା ଆସିବା କଥା ତ ଆସିବ
ଯାହା ମିଳିବା କଥା ମିଳିବ
ଯାହା ଘଟିବା କଥା ଘଟିବ
ପ୍ରତିପଦା ରେ ତ ଉଇଁବ ନାହିଁ ପୁନେଇ ର ଜହ୍ନ?

ତେବେ ମୃତ୍ୟୁ ର ଆସିବା ନେଇ
ଏତେ ବିବ୍ରତ ହେବା କଣ ଦର୍କାର ଯେ ,
ବରଂ ଚାଲ ତା’ପୂର୍ବ ରୁ କିଛି ଖୁସି ହେବା
କପିଳ ଶର୍ମା ସୋ ଦେଖି
ମିଛଟାରେ ହସିବା ସିଦ୍ଧୁ ପରି
କିଛି ସ୍ନେହଁ , ଶ୍ରଦ୍ଧା ବାଣ୍ଟିବା ଆମ ଭିତରେ….😎

© Bishnu Charan Parida

ଫୁଲ

ଫୁଲ
_____________________________________________

ଫୁଲଟିଏ ହସୁଥାଏ
ହସାଉଥାଏ,
ଝୁଲୁଥାଏ
ହଲୁଥାଏ
ଦୋହଲୁଥାଏ,
ଦୁଃଖ ନଥାଏ ତାର,
ସବୁବେଳେ  ଖୁସିଥାଏ।

ଫୁଲଟିଏ,
ମହକୁଥାଏ
ମହକାଉଥିଏ
ପାଖକୁ ତାର ଭଅଁର ଆସେ
ପ୍ରଜାପତି ଆସେ
ତା’ସହ ମଧୁ ସଂସର୍ଗ ରେ
ମତୁଆଲା ହେବାକୁ।

ଫୁଲଟିଏ
ଥାଏ ଗଛ ଡାଳରେ ,
ପତ୍ର ଗହଳରେ
ବ୍ୟାପିଥାଏ ମାଟିରୁ,
ସୁନ୍ଦରିମା ତାର
ଆକାଶର ବ୍ୟାପ୍ତିରେ।

ତା’ର ମୁରୁକି ହସାରେ
ଗୀତ ଗାଉଥାଏ ଫୁଲ ,
ତା’ର ଗୁପ୍ତ ଇସାରାରେ
ଚୋରା ଚାହାଣୀରେ
ବିଦଗ୍ଧ ପ୍ରେମିକ,
କବି ହେଇଯାଏ ।

କଢିଟିଏ
କାହାଣୀଏ ସ୍ବପ୍ନ ନେଇ
ଫୁଲ ହେବାର ଉପକ୍ରମରେ
ଖୋଜୁଥାଏ ସାହାରା ସାଥୀର,
ଭଅଁରକୁ ଅନୁରୋଧ,
ସ୍ବପ୍ନ ତାର କରନା ଅସାର।
    ©® ବିଷ୍ଣୁ ଚରଣ ପରିଡା .
Photo clicked by self..

ରାସ୍ତା ଅନେକ ବାକି

ରାସ୍ତା ଅନେକ ବାକି


ଦିନ ସବୁ ଢଳିଯାଏ
ରାତି ଯାଏ ବିତି
ତଥାପି ତ ରାସ୍ତା ସରେ ନାହିଁ
ମିଶିଯାଏ ଦିଗନ୍ତରେ ଦିଗହରା ହେଇ

ରାସ୍ତା ଯୋଡେ ଜୀବନକୁ
ସୁରତର ସୁତାକଳୁ
କଲିକତା କାଳୀଘାଟ ଯାଏ
ଆଶାର ଇସାରା ଦେଇ
ସ୍ବପ୍ନକୁ ସାହାରା କରି

ଚେନାଇର ଚଲାପଥୁ
ରାସ୍ତା ଗୋଟେ ଜୀବାନ୍ତକ ଜଳଯାତ୍ରା
ହୃଦୟର ଅଳିନ୍ଦରୁ
କୋହର କୁହୁ କବିତା

ମୁମ୍ବାଇର ମୁମୁର୍ଷୁ ମୁହୂର୍ତ୍ତର
ସ୍ବପ୍ନର ଶେଷ ସୋପାନ
ଜନନୀ ଓ ଜନ୍ମଭୂମି ମୋହ
ଚଳଚ୍ଚିତ୍ର ଦୃଶ୍ୟବତ୍
ରକ୍ତାକ୍ତ ରେଳରାସ୍ତା

ରାସ୍ତାରେ ଜନମ ଲଭେ
ରାସ୍ତା ଆଣେ ମୃତ୍ୟୁ
ତଥାପି ସେ ହାରେ ନାହିଁ
ଚାଲିଥାଏ ଏକ ଲୟେ
ଅବାଟକୁ ବାଟ ମଣି
ଅଦମ୍ୟ ମନରେ

ଚାଲୁ ଚାଲୁ ଥକିପଡେ
ଥକି ଥକି ଚାଲୁଥାଏ ପୁଣି
ଜୀବନକୁ ତୁଛ କରି
ଭିଟାମାଟି ଛୁଇଁ ବାକୁ, ରହିଯାଏ
ରାସ୍ତା ଅନେକ ବାକି
©®ବିଷ୍ଣୁ ଚରଣ ପରିଡା ।
୧୧୲୦୫।୨୦,ଯାଜପୁରରୋଡ ।photo: by self

ଶରତ ସାୟାହ୍ନ

ଗାଡି ଯାଏ ଗଡି ଗଡିଲୋ ସୁନ୍ଦରୀ
ଗାଡି ଯାଏ ଗଡି ଗଡି
ଅଙ୍କା ବଙ୍କା ରାସ୍ତା
ଗତି କରିଯାଏ
ଶାଗୁଆ ଧାନ କିଆରୀ।

ଗାଡି ଯାଏ ଗଡି ଗଡିଲୋ ସୁନ୍ଦରୀ
ଗାଡି ଯାଏ ଗଡି ଗଡି
କାଶଫୁଲ ଫୁଟି
ଶୋଭା ପାଉଥାଏ
ସତେ ବା ସରଗପୁରୀ!

ଗାଡି ଯାଏ ଗଡି ଗଡିଲୋ ସୁନ୍ଦରୀ
ଗାଡି ଯାଏ ଗଡି ଗଡି
ଶରତର ଶୋଭା
ଅତି ମନଲୋଭା
ପେଟ ଯାଉଥାଏ ପୁରି ।

ଗାଡି ଯାଏ ଗଡି ଗଡିଲୋ ସୁନ୍ଦରୀ
ଗାଡି ଯାଏ ଗଡି ଗଡି
ପାହାଡ ସେକଡେ
ଗାଁ ଟି ମୋହର
ଧରାରେ ଅପୂର୍ବ ଶିରୀ ।
…କ୍ରମଶଃ
Pic ୧୩।୯।୨୦
Poem ୨୩।୯।୨୦
©® ବିଷ୍ଣୁ ଚରଣ ପରିଡା

କିଛି ମେଘ ଦେବବ୍ରତ ପାଇଁ

କିଛି ମେଘ ଦେବବ୍ରତ ପାଇଁ

ଦେବବ୍ରତ ,
କଥା ଦେଇଥିଲି
କିଛି ମେଘ ପଠେଇବାକୁ
ତୁମ ପାଖକୁ…

ସେଇଦିନୁ ଖୋଜୁଛି
ସାରା ଆକାଶ ଖଣ୍ଡେ ମେଘ ପାଇଁ
ମୁଣ୍ଡ ଉପରେ, ଦିଗ୍‌ବିଳୟରେ
ଘର ଛାତ ଉପର କଣରେ
ଆଉ ପାହାଡ ର ମଥାନ କୁ ଚାହିଁ ଚାହିଁ …

ଅଡୁଆରେ ପଡିଗଲି
କ’ଣ ପଠେଇବି ବୋଲି,
ବିରହର କଳା ମେଘ ବର୍ଷା ର
ନା କାଶତଣ୍ଡୀ ଧଳା ମେଘ ଶରତ ର,
ପାଚିଲା ପଶ୍ଚିମା ମେଘ ସଞ୍ଜ ଆକାଶ ର
ନା ନୀଳ ମେଘ ସକାଳ ଶୀତ ର
ମିଳନ ଗୀତ ର !

ଏବେ ତୁମେ ଯଦି
ଫେରୁଥିବ ଟ୍ରେନ୍ ରେ ,
ବିବେକ ବାବୁ ଙ୍କ ସହ
ମୁଁ ଦୃଢ ନିଶ୍ଚିତ ଯେ,
ତୁମକୁ ଘେରିଥିବେ କିଛି ରଙ୍ଗୀନ ମେଘ ,
ଭଜା ବାଦାମ, ଗୁଟଖା ବିକାଳୀ ଓ
ଯାତ୍ରୀ ଭିଡରେ , ତୁମକୁ ମେଘ ମାନେ
ବିଜୁଳି ର ଝାପ୍ସା ଝଲକରେ
‘ଶ୍ୟାମା ‘ କୁ କରୁଥିବେ ପ୍ରତ୍ୟୟ!

ପ୍ରେମ ରେ,
ମତେ ସବୁବେଳେ, ମିଳନ ଅପେକ୍ଷା
ବିରହ ଭଲ ଲାଗେ ଦେବବ୍ରତ!

ସେଇଥି ପାଇଁ ,ମେଘ କିଛି ଭଲ ପାଇଲି
ମୋ ଅଫିସ୍ ସାମ୍ନା ଗୋଟେ ନଣ୍ଡା ଗଛ ଉପରେ,
କିଛି ସ୍ମୃତି,କିଛି ସ୍ବପ୍ନ ନେଇ
ଭଲ ପାଇଲି ବିରହର ସଙ୍ଗୀତ ତାଳରେ ।

ଏଇ ନିଅ କିଛି ମେଘ ପଠେଇଲି
ଭଲ ପାଇବାର ମେଘ କିଛି ତୁମ ପାଇଁ ,
ଯାହା କି ତୁମକୁ କିଛି
ବିବ୍ରତ କରିବ ନାହିଁ
ଦେବବ୍ରତ!….😎

(C) Bishnu Charan Parida