କବିତା ନୁହେଁ କଥା ପଦେ

କବିତା ନୁହେଁ କଥା ପଦେ

ଯିଏ ଯେମିତି ଆସିବା କଥା ଆସୁନା
ଆମର କାହାକୁ ଡାକିବା କଣ ଦର୍କାର ଯେ
ଜନ୍ମ ତ ଡାକି ଆଣିଛି ଆମକୁ
ଆଉ ଏ ଘଟଣା ସବୁକୁ
ଆହୂତ ଅନାହୂତ
ଘଟିଚାଲିଛି
ରାସ୍ତାପରି ଆମେ ଦ୍ରଷ୍ଟା କେବଳ ,
ସ୍ରଷ୍ଟା ନୁହେଁ।

ଯେତିକି ଆଲୋକ ଦେବାକଥା
ସୂର୍ଯ୍ୟ ଦେଇଛି ଆମକୁ
ଯେତିକି ଅନ୍ଧାର ଆସିବା କଥା
ରାତି ଆଣିଛି ଆମ ପାଇଁ।

ଆମେ ଖାଲି ମିଛରେ
ଧନ୍ଦିହେଉଛନ୍ତି ଯାହା
ମୁଁ ଆଉ ମୋର ବୋଲି କହି
ସୁଖରେ ଖୁସି ହେଇ
ଦୁଃଖ ରେ ହେଇ ମ୍ରିୟମାଣ!

ଯାହା ଆସିବା କଥା ତ ଆସିବ
ଯାହା ମିଳିବା କଥା ମିଳିବ
ଯାହା ଘଟିବା କଥା ଘଟିବ
ପ୍ରତିପଦା ରେ ତ ଉଇଁବ ନାହିଁ ପୁନେଇ ର ଜହ୍ନ?

ତେବେ ମୃତ୍ୟୁ ର ଆସିବା ନେଇ
ଏତେ ବିବ୍ରତ ହେବା କଣ ଦର୍କାର ଯେ ,
ବରଂ ଚାଲ ତା’ପୂର୍ବ ରୁ କିଛି ଖୁସି ହେବା
କପିଳ ଶର୍ମା ସୋ ଦେଖି
ମିଛଟାରେ ହସିବା ସିଦ୍ଧୁ ପରି
କିଛି ସ୍ନେହଁ , ଶ୍ରଦ୍ଧା ବାଣ୍ଟିବା ଆମ ଭିତରେ….😎

© Bishnu Charan Parida

ଫୁଲ

ଫୁଲ
_____________________________________________

ଫୁଲଟିଏ ହସୁଥାଏ
ହସାଉଥାଏ,
ଝୁଲୁଥାଏ
ହଲୁଥାଏ
ଦୋହଲୁଥାଏ,
ଦୁଃଖ ନଥାଏ ତାର,
ସବୁବେଳେ  ଖୁସିଥାଏ।

ଫୁଲଟିଏ,
ମହକୁଥାଏ
ମହକାଉଥିଏ
ପାଖକୁ ତାର ଭଅଁର ଆସେ
ପ୍ରଜାପତି ଆସେ
ତା’ସହ ମଧୁ ସଂସର୍ଗ ରେ
ମତୁଆଲା ହେବାକୁ।

ଫୁଲଟିଏ
ଥାଏ ଗଛ ଡାଳରେ ,
ପତ୍ର ଗହଳରେ
ବ୍ୟାପିଥାଏ ମାଟିରୁ,
ସୁନ୍ଦରିମା ତାର
ଆକାଶର ବ୍ୟାପ୍ତିରେ।

ତା’ର ମୁରୁକି ହସାରେ
ଗୀତ ଗାଉଥାଏ ଫୁଲ ,
ତା’ର ଗୁପ୍ତ ଇସାରାରେ
ଚୋରା ଚାହାଣୀରେ
ବିଦଗ୍ଧ ପ୍ରେମିକ,
କବି ହେଇଯାଏ ।

କଢିଟିଏ
କାହାଣୀଏ ସ୍ବପ୍ନ ନେଇ
ଫୁଲ ହେବାର ଉପକ୍ରମରେ
ଖୋଜୁଥାଏ ସାହାରା ସାଥୀର,
ଭଅଁରକୁ ଅନୁରୋଧ,
ସ୍ବପ୍ନ ତାର କରନା ଅସାର।
    ©® ବିଷ୍ଣୁ ଚରଣ ପରିଡା .
Photo clicked by self..

ରାସ୍ତା ଅନେକ ବାକି

ରାସ୍ତା ଅନେକ ବାକି


ଦିନ ସବୁ ଢଳିଯାଏ
ରାତି ଯାଏ ବିତି
ତଥାପି ତ ରାସ୍ତା ସରେ ନାହିଁ
ମିଶିଯାଏ ଦିଗନ୍ତରେ ଦିଗହରା ହେଇ

ରାସ୍ତା ଯୋଡେ ଜୀବନକୁ
ସୁରତର ସୁତାକଳୁ
କଲିକତା କାଳୀଘାଟ ଯାଏ
ଆଶାର ଇସାରା ଦେଇ
ସ୍ବପ୍ନକୁ ସାହାରା କରି

ଚେନାଇର ଚଲାପଥୁ
ରାସ୍ତା ଗୋଟେ ଜୀବାନ୍ତକ ଜଳଯାତ୍ରା
ହୃଦୟର ଅଳିନ୍ଦରୁ
କୋହର କୁହୁ କବିତା

ମୁମ୍ବାଇର ମୁମୁର୍ଷୁ ମୁହୂର୍ତ୍ତର
ସ୍ବପ୍ନର ଶେଷ ସୋପାନ
ଜନନୀ ଓ ଜନ୍ମଭୂମି ମୋହ
ଚଳଚ୍ଚିତ୍ର ଦୃଶ୍ୟବତ୍
ରକ୍ତାକ୍ତ ରେଳରାସ୍ତା

ରାସ୍ତାରେ ଜନମ ଲଭେ
ରାସ୍ତା ଆଣେ ମୃତ୍ୟୁ
ତଥାପି ସେ ହାରେ ନାହିଁ
ଚାଲିଥାଏ ଏକ ଲୟେ
ଅବାଟକୁ ବାଟ ମଣି
ଅଦମ୍ୟ ମନରେ

ଚାଲୁ ଚାଲୁ ଥକିପଡେ
ଥକି ଥକି ଚାଲୁଥାଏ ପୁଣି
ଜୀବନକୁ ତୁଛ କରି
ଭିଟାମାଟି ଛୁଇଁ ବାକୁ, ରହିଯାଏ
ରାସ୍ତା ଅନେକ ବାକି
©®ବିଷ୍ଣୁ ଚରଣ ପରିଡା ।
୧୧୲୦୫।୨୦,ଯାଜପୁରରୋଡ ।photo: by self

ଶରତ ସାୟାହ୍ନ

ଗାଡି ଯାଏ ଗଡି ଗଡିଲୋ ସୁନ୍ଦରୀ
ଗାଡି ଯାଏ ଗଡି ଗଡି
ଅଙ୍କା ବଙ୍କା ରାସ୍ତା
ଗତି କରିଯାଏ
ଶାଗୁଆ ଧାନ କିଆରୀ।

ଗାଡି ଯାଏ ଗଡି ଗଡିଲୋ ସୁନ୍ଦରୀ
ଗାଡି ଯାଏ ଗଡି ଗଡି
କାଶଫୁଲ ଫୁଟି
ଶୋଭା ପାଉଥାଏ
ସତେ ବା ସରଗପୁରୀ!

ଗାଡି ଯାଏ ଗଡି ଗଡିଲୋ ସୁନ୍ଦରୀ
ଗାଡି ଯାଏ ଗଡି ଗଡି
ଶରତର ଶୋଭା
ଅତି ମନଲୋଭା
ପେଟ ଯାଉଥାଏ ପୁରି ।

ଗାଡି ଯାଏ ଗଡି ଗଡିଲୋ ସୁନ୍ଦରୀ
ଗାଡି ଯାଏ ଗଡି ଗଡି
ପାହାଡ ସେକଡେ
ଗାଁ ଟି ମୋହର
ଧରାରେ ଅପୂର୍ବ ଶିରୀ ।
…କ୍ରମଶଃ
Pic ୧୩।୯।୨୦
Poem ୨୩।୯।୨୦
©® ବିଷ୍ଣୁ ଚରଣ ପରିଡା

କିଛି ମେଘ ଦେବବ୍ରତ ପାଇଁ

କିଛି ମେଘ ଦେବବ୍ରତ ପାଇଁ

ଦେବବ୍ରତ ,
କଥା ଦେଇଥିଲି
କିଛି ମେଘ ପଠେଇବାକୁ
ତୁମ ପାଖକୁ…

ସେଇଦିନୁ ଖୋଜୁଛି
ସାରା ଆକାଶ ଖଣ୍ଡେ ମେଘ ପାଇଁ
ମୁଣ୍ଡ ଉପରେ, ଦିଗ୍‌ବିଳୟରେ
ଘର ଛାତ ଉପର କଣରେ
ଆଉ ପାହାଡ ର ମଥାନ କୁ ଚାହିଁ ଚାହିଁ …

ଅଡୁଆରେ ପଡିଗଲି
କ’ଣ ପଠେଇବି ବୋଲି,
ବିରହର କଳା ମେଘ ବର୍ଷା ର
ନା କାଶତଣ୍ଡୀ ଧଳା ମେଘ ଶରତ ର,
ପାଚିଲା ପଶ୍ଚିମା ମେଘ ସଞ୍ଜ ଆକାଶ ର
ନା ନୀଳ ମେଘ ସକାଳ ଶୀତ ର
ମିଳନ ଗୀତ ର !

ଏବେ ତୁମେ ଯଦି
ଫେରୁଥିବ ଟ୍ରେନ୍ ରେ ,
ବିବେକ ବାବୁ ଙ୍କ ସହ
ମୁଁ ଦୃଢ ନିଶ୍ଚିତ ଯେ,
ତୁମକୁ ଘେରିଥିବେ କିଛି ରଙ୍ଗୀନ ମେଘ ,
ଭଜା ବାଦାମ, ଗୁଟଖା ବିକାଳୀ ଓ
ଯାତ୍ରୀ ଭିଡରେ , ତୁମକୁ ମେଘ ମାନେ
ବିଜୁଳି ର ଝାପ୍ସା ଝଲକରେ
‘ଶ୍ୟାମା ‘ କୁ କରୁଥିବେ ପ୍ରତ୍ୟୟ!

ପ୍ରେମ ରେ,
ମତେ ସବୁବେଳେ, ମିଳନ ଅପେକ୍ଷା
ବିରହ ଭଲ ଲାଗେ ଦେବବ୍ରତ!

ସେଇଥି ପାଇଁ ,ମେଘ କିଛି ଭଲ ପାଇଲି
ମୋ ଅଫିସ୍ ସାମ୍ନା ଗୋଟେ ନଣ୍ଡା ଗଛ ଉପରେ,
କିଛି ସ୍ମୃତି,କିଛି ସ୍ବପ୍ନ ନେଇ
ଭଲ ପାଇଲି ବିରହର ସଙ୍ଗୀତ ତାଳରେ ।

ଏଇ ନିଅ କିଛି ମେଘ ପଠେଇଲି
ଭଲ ପାଇବାର ମେଘ କିଛି ତୁମ ପାଇଁ ,
ଯାହା କି ତୁମକୁ କିଛି
ବିବ୍ରତ କରିବ ନାହିଁ
ଦେବବ୍ରତ!….😎

(C) Bishnu Charan Parida

ସବୁ କିଛି କବିତା ହେଇଯାଉଛି

ରାଗିଗଲେ
ରାଗଟା କେମିତି କବିତା ହେଇଯାଉଛି ଦେଖ ,
ଘଡଘଡି ଭଳି ଶବ୍ଦ କରି,
ହସିଦେଲେ,
ବିଜୁଳି ପରି ଝଲସି ଯାଉଛି କବିତା
ଆକାଶରେ ।

କାନ୍ଦିଲେ
ଝର ଝର ଝରୁଛି ବର୍ଷା
କବିତାର ନଈ ବହିଯାଉଛି

ନିଶ୍ବାସ, ପ୍ରଶ୍ବାସରେ
ଶିରା,ପ୍ରଶିରାରେ ,
କବିତାର ସ୍ବର
କବିତାର କଲ୍ଲୋଳ !

ହାଇ ମାରିଦେଲେ,
ସୁଲୁକେଇଦେଉଛି ବା’
କବିତାର ଶୀତଳ ଅଭିଭୂତି
ସ୍ବପ୍ନରେ ଲହରେଉଛି
କବିତାର ଶ୍ୟାମଳ ଶିହରଣ !

ଘଟଣା, ଦୁର୍ଘଟଣା
ଅତୀତ, ବର୍ତ୍ତମାନ
ଭବ୍ୟ, ଭବିତବ୍ୟ
ଭୂମାରୁ ଭୂମି ,
ସବୁକିଛି କବିତା ହେଇଯାଉଛି
ସବୁ କିଛି କବିତା ହେଇଯାଉଛି ।
©® ବିଷ୍ଣୁ ଚରଣ ପରିଡା, ଯାଜପୁରରୋଡ, ଓଡିଶା ।
୦୮।୦୯।୧୯, ରାତି ୧୦ଟା୧୧।